ଜଡ଼ଭରତ ଚରିତ

ଜଡ଼ଭରତଚରିତ

ଶ୍ରୀ ପୀତାମ୍ବର ଦାସ

 

ପୌରାଣିକ ଜଡ଼ଭରତ ଚରିତ ଗୋଟିଏ ବିଶେଷ ଶିକ୍ଷାପ୍ରଦ ଉପାଖ୍ୟାନ ଅଟେ । ପରମ ଯୋଗୀ ଋଷଭ ଦେବଙ୍କ ପୁତ୍ର ରାଜଚକ୍ରବର୍ତ୍ତୀ ଭରତ ନ୍ୟାୟାନୁରୂପ ରାଜ୍ୟ ପାଳନାନ୍ତର ଯଥା ସମୟରେ ପ୍ରବଜ୍ୟା ଅବଲମ୍ୱନ କରିଥିଲେ । ସେ ମହାତ୍ମା ଜୀବନବ୍ୟାପୀ ଧର୍ମପରାୟଣତାର ଯେଉଁ ନିଦର୍ଶନ ରଖି ଯାଇଛନ୍ତି ତାହା ଜଗତରେ ଅତୁଳନୀୟ ଅଟେ ।

 

ବିଜ୍ଞାନୁଲୋଚନାରୁ ପ୍ରତିପନ୍ନ ହେଉଅଛି ଯେ ଜଗତ୍‌ କ୍ରମୋନ୍ନତି ମାର୍ଗରେ ଅଗ୍ରସର ହେଉଅଛି । କିନ୍ତୁ ଭରତଙ୍କ ଚରିତରୁ ଜଣାଯାଏ ମାନସିକ କ୍ରିୟା ପ୍ରଭାବରୁ ଉକ୍ତ କ୍ରମବିକାଶ ନିୟମର ବିପର୍ଯ୍ୟୟ ଘଟିପାରେ । ଭରତ ମାନବଠାରୁ ନିକୃଷ୍ଟ ହରିଣ ପ୍ରତି ଅତ୍ୟନ୍ତ ଆସକ୍ତ ହୋଇଥିବାରୁ ପରିଶେଷରେ ମାନବଠାରୁ ନିକୃଷ୍ଟ ମୃଗହ ପ୍ରାପ୍ତ ହୋଇଥିଲେ । ଏଥିରୁ ଅନୁମାନ ହଏ ଯେ ଲୋକ ଆସକ୍ତି ପ୍ରଭାବରୁ ଊର୍ଦ୍ଧ୍ୱଗତି ବା ଅଧୋଗତି ଲାଭ କରିଥାଏ, ଭଗବାନ୍‌ ଶ୍ରୀକୃଷ୍ଣଙ୍କର ନିମ୍ନଲିଖିତ ଭକ୍ତିରୁ ଏହାର ଯଥାର୍ଥ ପ୍ରତିପନ୍ନ ହେଉଅଛି ।

 

ଯାନ୍ତି ଦେବବ୍ରତାଃ ଦେବାନ୍‌ ପିତୃନ୍‌ ଯାନ୍ତି ପିତୃବ୍ରତା ।

ଭୂତାନି ଯାନ୍ତି ଭୂତେଜ୍ୟା ଯାନ୍ତି ମଦ୍‌ ଯାଜିନୋଽପିମାଂ ।।

 

ଲୋକମାନଙ୍କର ସର୍ବଦା ଈଶ୍ୱରଙ୍କ ପ୍ରତି ଆସକ୍ତ ରହିବା ଏକାନ୍ତ ଉଚିତ । ନଚେତ୍‌ ପତନ ଆବଶ୍ୟମ୍ଭାବୀ ।

 

ଏହି ପୁସ୍ତିକା ବର୍ଣ୍ଣିତ ବିଷୟଟି ନୃସିଂହ ପୁରାଣରୁ ଗୃହୀତ ହେଲା । ଏହାର ସବିଶେଷ ବୃତ୍ତାନ୍ତ ଜାଣିବାକୁ ଇଚ୍ଛା କଲେ, ଭାଗବତର ପଞ୍ଚମସ୍କନ୍ଧ ପାଠ କରିବା ଉଚିତ ।

 

ନୃସିଂହ ପୁରାଣର ଏହି ଅଂଶଟି ମାନ୍ଦ୍ରାଜ ଗଭର୍ଣ୍ଣମେଣ୍ଟ ପାଠ୍ୟରୂପେ ନିର୍ଦ୍ଦେଶ କରିଥିବାରୁ ଏହା ପୁସ୍ତକାକାରରେ ପ୍ରକାଶିତ ହେଲା । ଈଦୃଶ ଶିକ୍ଷାପ୍ରଦ ଉପାଖ୍ୟାନ ପାଠ୍ୟରୂପେ ନିର୍ବାଚନ କରି ମାନ୍ଦ୍ରାଜ୍‌ ଗଭର୍ଣ୍ଣମେଣ୍ଟ ଛାତ୍ରମାନଙ୍କର ନୈତିକ ଚରିତ୍ର ଗଠନର ସୁବ୍ୟବସ୍ଥା କରିଅଛନ୍ତି, ଆଶାକରୁଁ ଏ ପ୍ରଦେଶରେ ଏହି ପୁସ୍ତକ ଖଣ୍ଡିକ ସର୍ବତ୍ର ସମାଦୃତ ହେବ ।

ପ୍ରକାଶକ

 

 

ଜଡ଼ଭରତଚରିତ ।

 

ଉର୍ବଶୀ ବୋଇଲେ ବାବୁ ଶୁଣ ମୋର ସୁତେ ।

 

କାହିଁକି ଜୀବଜନ୍ତୁଙ୍କୁ ମାର ଅନିମିତେ

।୧।

ଯେଉଁ ଭରତକୁ ଦେଖ ଏଡ଼େ ହେଲା ଜ୍ଞାନୀ ।

 

ଜନ୍ମରୁ ହୃଦେ ଭଜିଲା ଗୋବିନ୍ଦଙ୍କୁ ଚିହ୍ନି

।୨।

 

 

ତଥାପି ଘରୁ ପଦାକୁ ଯେବେ ବାହାରଇ ।

 

ପିମ୍ପୁଡ଼ି ମାରିବି ବୋଲି ଚାଲେ ଡେଇଁ ଡେଇଁ

।୩।

ମୁର ବୋଇଲା କହିଲା ମାତା ଯେଉଁ ବାଣୀ ।

 

ଭରତ ବୋଲିଣ ସେହି କାହା ପୁତ୍ତ୍ର ପୁଣି

।୪।

 

 

ବାଳକ ଦିନୁ ସେ କେହ୍ନେ ଭଜିଲା ହରିଙ୍କି ।

 

ଆଜି ପର୍ଯ୍ୟନ୍ତ ଆମ୍ଭେ ତ ନାହୁଁ କଥା ତର୍କି

।୫।

ଉର୍ବଶୀ ବୋଇଲେ ତେବେ ଶୁଣ ତାର କଥା ।

 

ଭରତର ପରିଗୁଣ ଯେବଣ ବ୍ୟବସ୍ଥା

।୬।

 

 

 

 

 

 

ଯେଉଁ କାଳେ ସୃଷ୍ଟି ସରଜିଲେ ବାସୁଦେବ ।

 

ବ୍ରହ୍ମାର ଅଙ୍ଗରୁ ଜାତ ହେଲେ ସ୍ୱୟମ୍ଭୁବ

।୭।

ସେ ସ୍ନାୟୁମ୍ଭୁବର ପୁତ୍ତ୍ର ହେଲା ପ୍ରିୟବ୍ରତ ।

 

ଅଗ୍ନିଧ୍ର ପ୍ରିୟବ୍ରତର ଅଂଶେ ହେଲେ ଜାତ

।୮।

 

 

ଅଗ୍ନିଧ୍ରଙ୍କର ବୀର୍ଯ୍ୟରୁ ହେଲେ ପୁଣି ନାଭ ।

 

ତାହାଙ୍କର ପତ୍ନୀ ପୁଣି ପ୍ରସବ ଋଷଭ

।୯।

ଋଷଭଙ୍କର ନନ୍ଦନ ହୋଇଲେ ଭରତ ।

 

ସେ ଭରତ ଭକ୍ତିଗୁଣେ ହେଲା ଅଲୋକିତ

।୧୦।

 

 

ଏ ପୃଥ୍ୱୀରେ ରାଜା ସେହି ହେଲା ଦିନାକେତେ ।

 

ଭ୍ରତ ଖଣ୍ଡ ବୋଲି ନାମ ଦେଲେ ମହୀପତେ

।୧୧।

ସତ୍ୟଯୁଗରେ ପାଳନ୍ତି ସେହି ଜନ ପ୍ରଜା ।

 

କେବେ ସତ୍ୟ ନ ଛାଡ଼ଇ ସେ ଭରତ ରାଜା

।୧୨।

 

 

ଦେବ ଇନ୍ଦ୍ର ଶିବ ବିଷ୍ଣୁ ସାଧୁ ବିପ୍ରଜନେ ।

 

ସମସ୍ତଙ୍କୁ ସେବା ସେହୁ କରେ ତୋଷମନେ ।

।୧୩।

ଏମନ୍ତ କେତେକ ଦିନେ ଭାଗ୍ୟ ତାର ଦେଖ ।

 

ଗୋବିନ୍ଦଙ୍କ ଚରଣରେ ସେବିଲା ଅନେକ

।୧୪।

 

 

 

 

କାଳେ ତାହାଙ୍କୁ ସୁଦୟା କଲେ ଭଗବାନ ।

 

ଧ୍ୟାନେ ବସନ୍ତେ ଆସିଣ ଦେଲେ ଦରଶନ

।୧୫।

ଶଙ୍ଖ ଚକ୍ର ଗଦା ପଦ୍ମ ଚତୁର୍ଭୂଜ ହୋଇ ।

 

କଣ୍ଠରେ ଯେ ବନମାଳା କଉସ୍ତୁଭ ଲାଇ

।୧୬।

 

 

ସପତ –ଶାଖା –ମୁକୁଟ ଶିରେ ଦିଶେ ଶୋଭା ।

 

ଦରହାସ ମୁଖ ଦିଶେ ପଦ୍ମନେତ୍ର ଆଭା

।୧୭।

ହୃଦେ କମଳା ଶ୍ରୀବତ୍ସ ଚିହ୍ନ ଗୋଟି ଶୋହେ ।

 

କଟୀରେ ପୀତବସନ ଜଗଜ୍ଜନ ମୋହେ

।୧୮।

 

 

ଆରକ୍ତ ପଦ୍ମ ପରାୟ ଦିଶେ ପାଦ ବେନି ।

 

ଏମନ୍ତେ ଭରତେ ଦେଖା ଦେଲେ ରୂପ ଘେନି

।୧୯।

ଗୋବିନ୍ଦର ରୂପ ଦେଖି ସେ ଭରତ ରାଜା ।

 

ମନେ ମନେ ନମିଣ ଯେ କଲେ ପାଦ ପୂଜା

।୨୦।

 

 

ପାଇଲୁ ବିଷ୍ଣୁଙ୍କୁ ବର ମାଗି ପଞ୍ଚପୁତ୍ତ ।

 

ତହୁଁ ଜ୍ୟେଷ୍ଠପୁଅଙ୍କୁ ସେ ଦେଲେ ଦଣ୍ଡ ଛତ୍ର

।୨୧।

ଲକ୍ଷେ ବର୍ଷ ଯାଏ କଲା ରାଜପଣ ଭୋଗ ।

 

ତହିଁ ଉତ୍ତାରୁ ସେ ପୁଣି ଜନ୍ମିଲା ବୈରାଗ୍ୟ

।୨୨।

 

 

 

 

ସଂସାରରୁ କାମ ଲୋଭ ମୋଦ ଦେଲା ଛାଡ଼ି

 

ରଖିଲା ସେ ଗୋବିନ୍ଦଙ୍କ ପାଦେ ଚିତ୍ତ ବଢ଼ି

।୨୩।

ରାଜ୍ୟଭାର ତେଜ କରି ଚଳିଲା ଏକାନ୍ତେ ।

 

ବୁଲିଲା ଯାବତ ତୀର୍ଥଯାକ ଦିନା କେତେ

।୨୪।

 

 

ବିଷ୍ଣୁଙ୍କୁ ସେବି ବ୍ରହ୍ମାଣ୍ଡଯାକ ପୁଣି ଭ୍ରମେ ।

 

ପ୍ରବେଶ ହୋଇଲା ଆସି ପୁଲହ ଆଶ୍ରମେ

।୨୫।

ପାପ ରାଶି ବିନାଶଇ ଯେଉଁ ମହୀତୀର୍ଥ ।

 

ବିଷ୍ଣୁଠାରୁ ଜନ୍ମି ପୃଥ୍ୱୀ କରଇ ପବିତ୍ର

।୨୬।

 

 

ସେ ତୀର୍ଥେ ପୁଲହ ରହିଛନ୍ତି ଗ୍ରାମ ବାନ୍ଧି ।

 

ମହା ନିର୍ମ୍ମଳ ହୋଇଣ ବହେ ଗଙ୍ଗା ନଦୀ ।

।୨୭।

ସେ ସ୍ଥାନ ଦେଖି ଭରତ ରହିଲେକ ସୁଖେ ।

 

ପୁଲହ ମୁନିଙ୍କ ଆଶ୍ରମର ପୂର୍ବମୁଖେ

।୨୮।

 

 

ପୂଜିଲେ ବିଷ୍ଣୁ ପ୍ରତିମା ସ୍ଥାପି ମହୀପାଳ ।

 

ଲକ୍ଷେ ଯାଏ ଭକ୍ଷ୍ୟ କଲେ ଗଙ୍ଗାଜଳ

।୨୯।

ସୁସ୍ୱାଦୁ ସୁପକ୍ୱଫଳ ମୂଳ ରସ ଯେତେ ।

 

ବିଷ୍ଣୁଙ୍କୁ ସମର୍ପି ତାହା ଭକ୍ଷଇ ଯେ ନିତ୍ୟେ

।୩୦।

 

 

 

 

ସବୁ ଆତ୍ମା ସଂସାରରେ ଦେଖେ ସମକରି ।

 

ସଦାନନ୍ଦ ପୁରୁଷ ଯେ ଅଛି ତହିଁ ପରି

।୩୧।

ପରମପୁରୁଷଙ୍କୁ ଯେ ଦେଖି କରି ରାୟେ ।

 

ଜୀବଛନ୍ଦିଦ୍ୱାରେ ନେଇ ଜୀବନ ଥକାଏ

। ୩୨।

 

 

ମନ ଆଉ ପବନକୁ କରିଣ ଏକତ୍ୱ ।

 

ଗୋବିନ୍ଦଙ୍କୁ ଭଜିଣ ଯେ ରହିଲା ଭରତ

। ୩୩ ।

ତିନି ଜନ୍ମ ପରିଯନ୍ତେ ବିଷ୍ଣୁ ଭଜୁଥିଲା ।

 

ତହିଁ ଉତ୍ତାରୁ ସୁଖରେ ବୈକୁଣ୍ଠକୁ ଗଲା

। ୩୪।

 

 

ଏହା ଶୁଣି ମୁରାସୁର ପୁଚ୍ଛିଲା ଲେଉଟି ।

 

ବୋଲେ କହ ଆଗ ଭରତର ପ୍ରସଙ୍ଗଟି

। ୩୫।

କିମ୍ପା ଭରତର ଜନ୍ମ ହେଲା ତିନିଥର ।

 

କେଉଁ ଜନ୍ମେ କିଏ ପିତା ଅଟଇ ତାହାର

।୩୬।

 

 

ଉର୍ବଶୀ ବୋଇଲେ ବାବୁ କହିବା ତା ଗୁଣ ।

 

ପ୍ରଥମ ଜନ୍ମର ବୁଝିଲତ ପରିଗୁଣ

।୩୭।

ଦ୍ୱିତୀୟ ଜନ୍ମର ତୁ ହୋ ଶୁଣ ଏବେ ବାଣୀ ।

 

ମୃଗୁଣୀ ଗର୍ଭରେ ଯାଇ ଜାତ ହେଲା ପୁଣି

।୩୮।

 

 

 

 

ଯେଉଁରୂପେ ଜନମିଲା ଶୁଣ ସେ ବିଧାନ ।

 

ଗଙ୍ଗାରେ ପଶି ଭରତ କରୁଥିଲା ସ୍ନାନ

।୩୯।

ଗର୍ଭବାସ ହୋଇକରି ଏକଇ ମୃଗୁଣୀ ।

 

ତୃଷାତୁରେ ଆସିଥିଲା ପିଇ ନଦୀ ପାଣି

।୪୦।

 

 

ସନ୍ତୋଷେ ପାଣି ପିଇଣ ପୂରାଇଲା ଗର୍ଭ ।

 

ଏ ସମୟେ ବନରେ ଯେ ସିଂହ ଦେଲା ରାବ

।୪୧।

ଡେଇଁଲା ଭକ୍ଷିଲା ପ୍ରାୟ ମଣି ମୃଗନାରୀ ।

 

ଏକେ ଜଳଗ୍ରାସ ପୁଣି ଦୁଯେ ଗର୍ଭ ଭାରି

।୪୨।

 

 

ଚମକି ପଡ଼ିଲା ଯେଉଁଠାରେ ହୋଇ ଛନ୍ନ ।

 

ଗର୍ଭ ଫାଟିଣ ବାଳକ ହୋଇଲା ଉତ୍ପନ୍ନ

।୪୩।

ତାହା ଦେଖି ଭକତ ଯେ ହୃଦେ ମହାଦୁଃଖୀ ।

 

ସ୍ନେହେ ମୃଗୁଣୀ ପିଲାକୁ ଧଇଲାକ ଟେକି

।୪୪।

 

 

ଏକେତ ସେ ବିଷ୍ଣୁ ଭକ୍ତ ସର୍ବଜୀବେ ଦୟା ।

 

ତେଣୁ ସେହି ମୃଗପୁତ୍ତ୍ରେ ବଳାଇଲେ ସ୍ନେହା

।୪୫।

ସେ ବାଳକକୁ ଘେନିଣ ଆଶ୍ରମକୁ ଗଲେ ।

 

ଜଳ ତୃଣ ଦେଇ କରି ଆଶ୍ୱାସି ପୋଷିଲେ

।୪୬।

 

 

 

 

ଶୁଣ ଆରେ ମୁରାସ୍କର କହନ୍ତି ଉର୍ବଶୀ ।

 

ଦିନୁ ଦିନୁ ଭ୍ରତ ସଙ୍ଗେ ମୃଗ ମନ ମିଶି

।୪୭।

ବିଷ୍ଣୁ –ମାୟାରେ ସେ ପଡ଼ି ମୃଗେ ମନ ଦ୍ୟନ୍ତେ ।

 

କାଳେ ସେହି ମୃଗ ମରିଗଲା ଯେ କେମନ୍ତେ

।୪୮।

 

 

ଭରତ ମୃଗର ମୃତ୍ୟୁ ଦେଖି ହିତଜ୍ଞାନ ।

 

ଆସନ ଗମନ ବେଳେ କରନ୍ତି ରୋଦନ

।୪୯।

ଆହା ଆହା ମୃଗ ବୋଲି ପଡ଼େ ଭୂମି ଲୋଟି

 

ଉଠି ବସିକରି ପୁଣ କାନ୍ଦନ୍ତି କୁହାଟି

।୫୦।

 

 

ଯହିଁକି ଚାହିଁଲେ ତହିଁ ଦିଶେ ମୃଗରୂପ ।

 

ମହାମନ୍ତ୍ର ପ୍ରାୟ ତାକୁ କଲେ ସେହି ଜପ

।୫୧।

ମୃଗ ମୃଗ ବୋଲି କଲେ ଅନେକ ସେ ଚିନ୍ତା ।

 

ଆହାର ନିଦ୍ରାଦି ହେଲା ତାଙ୍କୁ ସବୁ ପିତା

।୫୨।

 

 

ଚିନ୍ତାରେ ଯେ ଗଲା ତାଙ୍କ ତନୁ ଗୋଟି ସଢ଼ି ।

 

ଝୁରି ଝୁରିଣ ଭରତ ପ୍ରାଣ ଗଲା ଛାଡ଼ି

।୫୩।

ଆତ୍ମାକୁ ସେ ତ୍ୟାଗ କରି ମୃଗେ ଲୀନ ଗଲେ ।

 

କାଳେ ସେହି ଗର୍ଭିଣୀର ଗର୍ଭେ ଉପୁଜିଲେ

।୫୪।

 

 

 

 

ବନରେ ଥାଇ ପଡ଼ିଲେ ସେହି ମୃଗପଲେ ।

 

କେବଳ ଜାଣନ୍ତି ପୂର୍ବ –ଜନ୍ମ ଚେତାଇଲେ

।୫୫।

ମନେ ପଡ଼ିଲେ ପାଞ୍ଚନ୍ତି ପୁଣି ମନ୍ଦ ବୋଲି ।

 

ବୋଲନ୍ତି ଅଭାଗ୍ୟରୁ ମୁଁ ପଶୁ ଜନ୍ମ ହେଲି

।୫୬।

 

 

କେତେ ସୁଖ ଥିଲା ଗଲା ମୋର ପୂର୍ବକଥା ।

 

ଏବେତ ପଶୁ ଜନମ ହେଲା ଆସି ବୃଥା

। ୫୭।

ଦେଖତ ମୋହର କର୍ମ୍ମ ହେଲା ଏଡ଼େ ବାମ ।

 

ଗୋବିନ୍ଦଙ୍କ ସେବା ଛାଡ଼ି ଭୁଞ୍ଜିଲି ଅକର୍ମ

।୫୮।

 

 

ମୃଗେ ଯେଣୁ କରି ମୁହଁ କଲି ଏଡ଼େ ଆଶ ।

 

ତେଣୁ ପଶୁ-ଜନ୍ମ ମୋତେ ଦେଲେ ପୀତବାସ

।୫୯।

ଏବେ କେମନ୍ତେ ଲେଉଟି ହୋଇବି ମାନବ ।

 

ଏଥିପାଇଁ ଦୟା ଅବା କରିବେ ସେ ଦେବ

।୬୦।

 

 

ଏମନ୍ତ ପାଞ୍ଚି ମନରେ ଭାଳି ଦିନୁ ଦିନୁ ।

 

ଆହାର ନ ଖାଇ କଲେ ଦୁର୍ବଳ ଯେ ତନୁ

।୬୧।

ଦେହ କ୍ଷୀଣ କରି କାଳ ଲଭିଲେକ ମୃତ୍ୟୁ ।

 

ଲେଉଟି କହିବା ଶୁଣ ତାଙ୍କ ଜନ୍ମ ତତ୍ତୁ

।୬୨।

 

 

 

 

ବୁଝରେ ମୁର ଦାରୁଣ ଭରତ ମହିମା ।

 

ବିପ୍ରକୁଳେ ତହୁଁ ଜନ୍ମ ହେଲେ ମହାତମା

।୬୩।

ଅଯୋଧ୍ୟା ନାମରେ ଦେଶ ଉତ୍ତର ପାରୁଶ ।

 

ଅଙ୍ଗିରା ପ୍ରବର ନାମ ବିପ୍ରଗୃହ ବାସ

।୬୪।

 

 

ତାର ବୀର୍ଯ୍ୟେ ଉପୁଜିଲେ ଛଅଗୋଟି ପୁତ୍ତ୍ର ।

 

ଶେଷେ ଯାଇ ପୁଣ ଜନ୍ମ ହୋଇଲେ ଭରତ

।୬୫।

ଏ ପ୍ରକାର ଛଅ ପୁତ୍ତ୍ର ପାଳନ୍ତି ସେ ଦ୍ୱିଜ ।

 

ବେଦ ବିଦ୍ୟାରେ ନିର୍ଜିତ ହୋଇଲେ ତନୁଜ

।୬୬।

 

 

ଦେଖିଲେ କନିଷ୍ଠ କୁମରର ସାଧୁ ବୁଦ୍ଧି ।

 

ସୁଶୀଳ ଦୟାବନ୍ତ ସେ ଆତ୍ମାରେ ଅକ୍ରୋଧୀ

।୬୭।

ସଦବୁଦ୍ଧି ଦେଖିକରି ପିତା ଭରତର ।

 

ଅନେକ ବିଦ୍ୟା ଶିଖାଇ ଆଣି ତତ୍ତ୍ୱସାର

।୬୮।

 

 

ଚାରିବେଦ ଛଅ ଶାସ୍ତ୍ର ପୁରାଣାଦି ଯେତେ ।

 

ସବୁ ପଢ଼ନ୍ତି ଭରତ କୃଷ୍ଣ ପ୍ରୀତି ଅର୍ଥେ

।୬୯।

ପୁରାଣର ତତ୍ତ୍ୱଯାକ ମନେ ସବୁ ହେଜି ।

 

ବସିଲେ ସେ ଗୋବିନ୍ଦଙ୍କୁ ଅନୁବତେ ଭଜି ।

।୭୦।

 

 

 

 

ଜ୍ଞାନେ ଜଡ଼ ହୋଇ କଲେ ନିବୃତ୍ତ ଯେ ମନ ।

 

ତେଜିଲେ ସେ ମାୟା ମୋହ, ଇନ୍ଦ୍ରିୟ ଦମନ

।୭୧।

ମାନ ଅପମାନ ଦୁଃଖ ସୁଖ ଅମରଷ ।

 

ଶୟନେ ଭୋଜନେ ମନେ ନାହିଁ କିଛି ପ୍ରାୟ

।୭୨।

 

 

ଜ୍ଞାନ-ରସ ପାନେ ହେଲାପୃଥୁ ତାର ଦେହୀ ।

 

ଯେତେବେଳେ ଯାହାମିଳେ ତାହା ସେ ଘେନଇ

।୭୩।

ଏହିପରି କିଛି ଦିନେ ମଲେ ତାଙ୍କ ପିତା ।

 

ଜଡ଼ଭରତ ପୁତ୍ତ୍ରକୁ ଧଇଲେକ ମାତା

।୭୪।

 

 

ଜ୍ୟେଷ୍ଠ ପୁତ୍ତ୍ରଙ୍କର ପାଶେ ନେଇ ସମର୍ପିଲେ ।

 

ଭରତର କଥା ବାବୁ ଲାଗିଲା ବୋଇଲେ ।

।୭୫।

ପତିବ୍ରତା ପଶେ ଦେଲେ ଅନଳେ ସେ ଝାସ ।

 

ଏଥୁଅନ୍ତେ ବାଣୀ ଶୁଣ ଭରତଙ୍କ ରସ

।୭୬।

 

 

କିଛି ଦିନେ ଭାଇମାନେ କଲେ ଅନାଦର ।

 

ବୋଇଲେ ଏହାର ଜଡ଼ ହୋଇଲା ଶରୀର

।୭୭।

ଆନ କଥାମାନଙ୍କୁ ଏ ନ ପାରଇ ଆଉ ।

 

ବଟ ବୃକ୍ଷ ମୂଳେ ବସି କୃଷି ଜଗି ଥାଉ

।୭୮।

 

 

 

 

ଏମନ୍ତ ବୋଲିଣ ତାଙ୍କୁ ନେଲେ ଛଅ ଭ୍ରାତ ।

 

ବଟ ମୂଳରେ ବସାଇ ଜଗାଇଲେ କ୍ଷେତ

।୭୯।

ମହତ ବୃକ୍ଷ ବିସ୍ତାର ଅଛି ସେହି ହୋଇ ।

 

ନାନା ପକ୍ଷୀ ବସା କରି ରହିଚନ୍ତି ତହିଁ

।୮୦।

 

 

ତାଙ୍କୁ ଦେଖି ଭରତ ଯେ ନ କହନ୍ତି ଭାଷା ।

 

ପାଞ୍ଚନ୍ତି ଗୋବିନ୍ଦଙ୍କର ସର୍ବ ହୃଦେ ବସା

।୮୧।

ଅଛନ୍ତି ଯାବତ ହୃଦୟରେ ବିଜେ କରି ।

 

କୀଟରୁ ବ୍ରହ୍ମଯାଏ ତ ସର୍ବେ ନରହରି

।୮୨।

 

 

କ୍ରୀଡ଼ନ୍ତି ଅଣୁପ୍ରମାଣେ ବସି ନାନା ହୃଦେ ।

 

ଅଜ୍ଞାନ ସ୍ୱଭାବେ ତାହା ନ ଚିହ୍ନନ୍ତି ମନ୍ଦେ

।୮୩।

କେ କାହାକୁ କି ବୋଲିବ ସମସ୍ତେତ ହରି

 

ଧ୍ୟାନରେ ବସି ପରମ ଜ୍ଞାନ ଲୟ କରି

।୮୪।

 

 

ଏମନ୍ତେ ଭରତ ରହିଲେକ ସେହି ସ୍ଥାନେ ।

 

ପକ୍ଷୀ ବଧିବାକୁ ବ୍ୟାଧ ଆସେ ଏକଦିନେ

।୮୫।

ଯୋଖିଲା ବୃକ୍ଷ ଶିଖକୁ ଚାହିଁ ନଳକାଠି ।

 

ତାହା ଦେଖନ୍ତି ଭରତ ଊର୍ଦ୍ଧ୍ୱେ ଦେଇ ଦୃଷ୍ଟି

।୮୬।

 

 

 

 

ସେ ଦୁଷ୍ଟ ବ୍ୟାଧକୁ ଭ୍ରତ ନ ଦେଇ ସମାସ୍ୟା ।

 

ପାଞ୍ଚିଲେ କି ରୂପେ ମୁହିଁ ଭାଙ୍ଗିବ ସେ ଆଶା

।୮୭।

ମାରିବା ମରିବା ସବୁ କଥା ସେହି ହରି ।

 

କାହାକୁ ମାରଇ ନିଏ କାହାକୁ ସେ ତାରି

।୮୮।

 

 

ଏମନ୍ତ ବୋଲି ଭରତ ମଉନେ ରହିଲା ।

 

ଶୁଣରେ ପୁତ୍ତେ ବ୍ୟାଧର ମୂର୍ଦ୍ଧନି ଫୁଟିଲା

।୮୯।

ଅଦୋଷୀ ଜୀବକୁ ହତ ଅଦୋଷେ ଯେ କରେ ।

 

କାଳେ ସେହି ଅପମୃତ୍ୟୁ ଲାଭଇ ସଂସାରେ

।୯୦।

 

 

ନୋହିଲେ ବା ସେହିକ୍ଷଣି ପତନ ହୁଅଇ ।

 

ଭରତଙ୍କ କଥା ଶୁଣ ପୁଣ କହୁ ଥାଇଁ

।୯୧।

ସେ ଦେଶର ନରପତି କରେ ଦେବୀ ପୂଜା ।

 

ଦୁର୍ଗାଙ୍କୁ ସେ ନିତ୍ୟେ ନେଇ ଦିଏ ବଳିଭୁଜା

।୯୨।

 

 

ନର ଜନ୍ତୁ ଗୋଟି ଏକ ରଖି ଥାଇ ବନ୍ଦୀ ।

 

ଆଜର କାଲି କାଲିର ପରଦିନେ ଛେଦି

। ୯୩।

ଏହିରୂପେ ପ୍ରତିଦିନ ମାରେ ଜଣେ ନର ।

 

ଏକ ଦିନେ ଫିଟିଗଲା ବନ୍ଧୀଜୀବ ତାର

।୯୪।

 

 

 

 

କି ରୂପେ ନିଶାରେ ଲୁଚି ପଳାନ୍ତେ ବନ୍ଦିରୁ ।

 

ଦେଖିଣ ବ୍ୟାକୁଳ ରାଜା ହେଲା ପ୍ରଭାତରୁ

।୯୫।

ପେଷି ଲୋକବର୍ଗ ଖୋଜାଇଲା ଦଶ ଦିଶ ।

 

କନ୍ଦି ବିକନ୍ଦି କନ୍ଦର ଗିରି ବନ ଦେଶ

।୯୬।

 

 

ଏମନ୍ତେ ସେ ଖୋଜୁ ଖୋଜୁ ମିଳୁ ବଟମୂଳେ ।

 

ଦେଖିଲେ ବସିଛି ଜଣେ ମନର ନିଶ୍ଚଳେ

।୯୭।

ନିର୍ଲୋଭୀ ସେ ନିରାହାରୀ କଥା ନ କହଇ ।

 

ଯାହାକୁ ଦେଖିଲେ ବୋଲେ କୃଷ୍ଣ ଏକା ଏହି

।୯୮।

 

 

ଶ୍ରୀହରିର ରସ ପାଇ ବିଶାଳ ତା ଦେହ ।

 

କେହି ତାକୁ ନିନ୍ଦୁଥିଲେ ହସେ ଟହ ଟହ

।୯୯।

ଦେଖି କରି ଦୂତମାନେ ନେଲେ ତାଙ୍କୁ ଧରି ।

 

ରାଜାର ଛାମୁରେ ନେଇ ଦେଲେ ବାନ୍ଧି କରି

।୧୦୦।

 

 

ନରପତି ଆଜ୍ଞା ଦେଲେ କାହିଁର ଏ ନର ।

 

ଦୁର୍ଗାଙ୍କୁ ମିଳିଲା ଏବେ ଆଚ୍ଛା ଉପହାର

।୧୦୧।

ଏହାକୁ ନେଇଣ ବେଗେ ଦେବୀଆଳେ ଦିଅ ।

 

ଛାମୁରେ ଜଗାଇ ବୋଲ ବେଳା ବେଳି ଖାଅ

।୧୦୨।

 

 

 

 

ରାଜ-ଆଜ୍ଞା ପାଇଁ ଦୂତେ ନେଲେ ଧାତିକାରେ ।

 

ଭ୍ରତକୁ ଭରିଲେ ନେଇ ଦେବୀ-ଦେଉଳରେ

।୧୦୩।

ନିର୍ବ୍ବନ୍ଧେ ଭରତ –ଚାରିଚରଣକୁ ଛନ୍ଦି

 

ଦୁର୍ଗାଙ୍କର ଆଗେ ନେଇ ପକାଇଲେ ବାନ୍ଧି

।୧୦୪।

 

 

ବୋଇଲେ ମୋଗୋ ଏହାକୁ ତୁହି ସୁଖେ ଖାଅ ।

 

ରାଜ୍ୟ ଜନମାନଙ୍କୁ ଯେ ରକ୍ଷା କରି ଥାଅ

।୧୦୫।

ଏତେ ବୋଲିଣ ଅର୍ଗଳି କିଳିଲେ ନିର୍ବ୍ବନ୍ଧେ ।

 

ଯେ ଯାହା ରାଜ୍ୟକୁ ଚଳିଗଲେ ଚାରବୃନ୍ଦେ

।୧୦୬।

 

 

ଏଥି ଉତ୍ତାରେ ଭରତ ତହିଁ ଥିଲା ପଡ଼ି ।

 

ବିଷ୍ଣୁ ସ୍ମରନ୍ତେ ଦଉଡ଼ି ଗଲା ତାର ଛିଡ଼ି ।

।୧୦୭।

ଏତେକ କଥା ଗୋଚର ନାହିଁ ତାକୁ କିଛି ।

 

ମନକୁ ସେ ବ୍ରହ୍ମରନ୍ଧେ ନେଇ ପୁରାଇଛି ।

।୧୦୮।

 

 

ପଦ୍ମ ଆସନରେ ବସି ଭଜେ ନାରାୟଣ ।

 

ସବୁ ଜୀବଙ୍କୁ ଗୋବିନ୍ଦ ବୋଲେ ଏକା ଜାଣ

।୧୦୯।

ଏମନ୍ତ ପାଞ୍ଚି କରନ୍ତେ ବିଷ୍ଣୁଙ୍କୁ ସେ ଲୟ ।

 

ଦେଖିଣ ଲାଗିଲା ଚଣ୍ଡିକାଙ୍କୁ ମହାଭୟ

।୧୧୦।

 

 

 

 

ପାଞ୍ଚିଲେ ଚଣ୍ଡିକା ଏତ ଅନାଦିର ବାସ ।

 

ଏହାଙ୍କୁ ବିନାଶି ମୁହିଁ ଅର୍ଜିବି କି ଯଶ

।୧୧୧।

ଗୋବିନ୍ଦର ଭକ୍ତକୁ ନ ଚିହ୍ନି ମୂର୍ଖଜନେ ।

 

ଖାଅ ବୋଲିଣ ସମର୍ପି ଗଲେ ମୋତେ କେହ୍ନେ

।୧୧୨।

 

 

ଏଡ଼େ ଭକ୍ତକୁ ସେ ମନ୍ଦ ପାଞ୍ଚିଣ ପାମରେ

 

କି ବୋଲି ସେ ଭକ୍ଷ୍ୟ ବୋଲି ଛାଡ଼ିଲେ ମୋ ଘରେ ।

।୧୧୩।

ବିଷ୍ଣୁ ସେବକକୁ ଯେବେ ଚିନ୍ତିଲେକ ମନ୍ଦ ।

 

ନିଶ୍ଚୟ ମୃତ୍ୟୁ ବିହିଲେ ତାଙ୍କ ଆଦିକନ୍ଦ

।୧୧୪।

 

 

ଚଣ୍ଡିକା ଉଠିଲେ ଏତେ ବୋଲି କୋପାନଳେ ।

 

ଧାଇଁଲେ ଭୈରବୀଗଣ ଘେନି ବିକରାଳେ

।୧୧୫।

ରାଜାର ଗୃହେ ପଶିଲେ ଯାଇଁ ମହାମାଈ ।

 

ପୁର ଯାକ ଭସ୍ମ କରି ଦେଲେ ସବୁ ଖାଇ

।୧୧୬।

 

 

ଶୁଣରେ ମୁରଦାରୁଣ ଭକ୍ତଗୁଣ ଏଡ଼େ ।

 

ନ ଜାଣି ଲାଗନ୍ତି ଭକ୍ତ ତୁଲେ ସିନା ମୂଢ଼େ ।

।୧୧୭।

ତେଡ଼େ ସଙ୍କଟୁ ରଖିଲେ ଦେଖ ନାରାୟଣ ।

 

ଭରତ ବିଷୟ ପୁଣି କହୁଅଛି ଶୁଣ

।୧୧୮।

 

 

 

 

ତହୁଁ ସେହି ବଟମୂଳେ ବସିଲେକ ଆସି ।

 

ଶ୍ରୀହରିର ନାମ ଗୋଟି ହୃଦପଦେ ଘୋଷି

।୧୧୯।

ଏଥୁ ଅନନ୍ତରେ ଶୁଣ ସୂର୍ଯ୍ୟବଂଶ ରାଜ ।

 

ରହୂପତି ନାମ ତାର ହେଲେ ବେଗେ ସଜ

।୧୨୦।

 

 

ପଶିଲେ ଜୀବ ମାରିବା ପାଇଁ ଘୋର ବନେ ।

 

ବିମାନ ବହି ତାର ନ ପାରିଲା ଜଣେ

। ୧୨୧।

ଭ୍ରମଣ ସେ ଆସୁ ଆସୁ ମିଳି ବଟମୂଳେ ।

 

ଦେଖିଲେ ଜଡ଼ଭରତ ବସିଛି ନିଶ୍ଚଳେ

।୧୨୨।

 

 

ଗୋବିନ୍ଦର ମକରନ୍ଦ ରସଭୁଞ୍ଜା ଭ୍ରତ ।

 

ବଳିଷ୍ଠ ଦିଶୁଅଛଇ ଦେଖି ଭୋଇ ସତ

।୧୨୩।

ମହାସମର୍ଥ ବୋଲିଣ ନେଲେ ତାଙ୍କୁ ଝିଙ୍କି ।

 

ରାଜାଙ୍କୁ ବୋଇଲେ ୟାକୁ ବୁହାଅ ପାଲିଙ୍କି

।୧୨୪।

 

 

ଭରତଙ୍କୁ ଦେଖି ତୋଷ ହେଲେ ରହୂରାଜା ।

 

ବୋଇଲେ ଏହାଙ୍କୁ ବେଗେ ଦିଅ ପଡ଼ି ଖଞ୍ଜା

।୧୨୫।

ରାଜାଜ୍ଞା ଶୁଣି ହାନ୍ଦୋଳା ବହଲେ ତୁରିତ ।

 

ଗୋବିନ୍ଦଙ୍କୁ ମନେସ୍ମରି ସେ ଜଡ଼ଭରତ

।୧୨୬।

 

 

 

 

ବିଧିରେ ସେ ଦୁଃଖ ସୁଖ ଘେନେ ଏକ କରି ।

 

ବିଚାର କରଇ କୀଟୁ ବ୍ରହ୍ମଯାଏ ହରି

।୧୨୭।

ଯାବତ ଶରୀର ଅଟେ ଗୋବିନ୍ଦର ଦେହୀ ।

 

ଚିହ୍ନିଲା ଲୋକ ସଂସାରେ ଗତି ମୁକ୍ତ ପାଇଁ

।୧୨୮।

 

 

ଏମନ୍ତ ମନରେ ପାଞ୍ଚି ଯାନ ବହି ଯାନ୍ତେ ।

 

ତଳରେ କ୍ଷୁଦ୍ରଜନ୍ତୁ ସେ ଦେଖିଲା ଚାଲନ୍ତେ ।

।୧୨୯।

ପଡ଼ିବ ଚରଣ ବୋଲି ମହାଭୟ ପାଇ ।

 

ବାଙ୍କ ବାଙ୍କ ହୋଇ ସେହୁ ଚାଲେ ଡେଇଁ ଡେଇଁ

। ୧୩୦।

 

 

ଚରଣ ଉଶ୍ୱାସି ପକାନ୍ତେ ସେ ଏଣେ ତେଣେ ।

 

ବିମାନ ଦୋହଲି ଯାନ୍ତେ କମ୍ପେ ରହୂ ରାଣେ

।୧୩୧।

ରାଜା ବୋଇଲେ ତୋହର ନାହିଁ କିରେ ଜ୍ଞାନ ।

 

ଆମ୍ଭର ବିମାନ ଗୋଟି ଚଳେ ଆନ ଆନ

। ୧୩୨।

 

 

ଶୁଣି କରି ଭୁତ୍ୟ ଜନେ ଯୋଡ଼ି ବେନି କର ।

 

ବୋଇଲେ ପାଲିଙ୍କି ଏହା ଲାଗି ନୋହେ ସ୍ଥିର

।୧୩୩।

ଏମନ୍ତ ବାକ୍ୟ ଭୋଇଙ୍କ ମୁଖରୁ ସେ ଶୁଣି ।

 

ମନରେ ଯେ କ୍ରୋଧଭାର ହୋଇ ନୃପମଣି

।୧୩୪।

 

 

 

 

ବୋଇଲେକ ରହୂରାଜା ଭରତକୁ ଚାହିଁ ।

 

ଅତିଶୟ ବଳିଷ୍ଠତ ଅଟେ ତାର ଦେହୀ

।୧୩୫।

ବଳବନ୍ତ ପଣେ କହି ନୋହିବେତ ସରି ।

 

ଏଡ଼େ ସମ୍ଭବ ହୋଇ ତୁ ଚାଲୁଛୁ କିପରି

।୧୩୬।

 

 

ଆମ୍ଭ କଥା ମାନି ବହି ବିମାନକୁ ଧୀରେ ।

 

ଏଥୁଁଗଲେ ତୋତେ ପତି ଦେବି ମୁଁ ସତ୍ତ୍ୱରେ

।୧୩୭।

ଏମନ୍ତ କହି ବସିଲେ ରାଜା ହୋଇ ତୁନି ।

 

କୃଷ୍ଣେ ଲୟ କରି ଚାଲେ ସେ ଭରତ ଜରତଜ୍ଞାନୀ

।୧୩୮।

 

 

ରାଜାର କଥା ଯାକ ନ ପଶେ ତାଙ୍କ କର୍ଣ୍ଣେ ।

 

ଚରଣ ପହଞ୍ଚାଇ ସେ ଚାଲେ ହରି ଧ୍ୟାନେ

।୧୩୯।

ଲେଉଟି ବିମାନ ତାର ହାନ୍ଦୋଳନ୍ତେ ରାଜା ।

 

ହୃଦେ ବ୍ୟଥା ପାଇଣ ସେ କରନ୍ତି ତରଜା

।୧୪୦।

 

 

ରହୂରାଜା ବୋଇଲେ ରେ ଶୁଣ ମନ୍ଦ ବାଇ ।

 

ମୋର କଥା କି ତୋହର କର୍ଣ୍ଣେ ନ ପଶଇ

।୧୪୧।

ସ୍ଥିରେଣ ଗମିବା ଛାଡ଼ି ଚାଲୁ ବାଙ୍କ ବାଙ୍କ ।

 

ଧୈର୍ଯ୍ୟ ବୁଦ୍ଧି ତୋର ନାହିଁ କି ଆରେ ମୂରୁଖ

।୧୪୨।

 

 

 

 

ବାତୁଳ ପରାୟ ଦେଖାଯାଏ ତୋର କର୍ମ୍ମ ।

 

ହୃଷ୍ଟ ପୃଷ୍ଟ ହୋଇ ଏଡ଼ୁଅଛୁ ନିଜ ଧର୍ମ

।୧୪୩।

ମୋର ବୋଲି କରି ଧୀରେ ଧୀରେ ମାର୍ଗେ ଚଳ ।

 

ନୋହିଲେ ମୋଠାରୁ ପାଇବୁଟି ପ୍ରତିଫଳ

।୧୪୪।

 

 

ରହୂରାଜା ମୁଖରୁ ସେ ଏ ବଚନ ଶୁଣି ।

 

ସେ ଜଡ଼ଭରତ ମନେ ବିଚାରନ୍ତି ପୁଣି

। ୧୪୫।

ବୋଲଇ ଦେଖ ଏପରି ବିଜ୍ଞ ରାଜା ହୋଇ ।

 

ଅଜ୍ଞାନ ଲୋକ ପରାୟେ ବଚନ କହଇ

।୧୪୬।

 

 

ମୁଁ ଯେବେ ଏହାକୁ ଆଜ ନ କହିବି କଥା ।

 

ବ୍ୟାଧ ମଲା ପ୍ରାୟ ମରିବ ଏ ମହାରଥା

।୧୪୭।

ଦେବୀଆଳେ ଦେଇ ମଲା ନରପତି ଯେହ୍ନେ ।

 

ସେହିପରି ରହୂରାଜା ମରିବ ଅଜ୍ଞାନେ

।୧୪୮।

 

 

ଏସନ ମତ ପାଞ୍ଚିଣ ସେ ଭରତ ଜ୍ଞାନୀ ।

 

ରହୂରାଜାଙ୍କୁ କହନ୍ତି ଆସି ତତ୍ତ୍ୱବାଣୀ

।୧୪୯।

କୋମଳ ଅମୃତ ସୁବଚନ ମୁଖେ ଭାଷି ।

 

ବୋଲନ୍ତି ହୋ ସାବଧାନେ ଶୁଣ ସୂର୍ଯ୍ୟବଂଶୀ

।୧୫୦।

 

 

 

 

ଏଡ଼େ ବଡ଼ ରାଜା ତୁମ୍ଭେ ସୂର୍ଯ୍ୟବଂଶେ ଜନ୍ମି ।

 

ଅଜ୍ଞାନ ଲୋକ ପରାୟ ମରି କିମ୍ପା ଭ୍ରମି

।୧୫୧।

ଶୁଣି ନାହିଁ କି ହୋ କର୍ଣ୍ଣେ ମହିମା ହରିର ।

 

ହୁରିର ଭିଆଣ ଅଟେ ସମସ୍ତ ଶରୀର

।୧୫୨।

 

 

ସକଳ ଆତ୍ମାରେ ସେହି ହରି ପୂର୍ଣ୍ଣ ଥାଏ ।

 

ଅଛନ୍ତି ସେ ବିଜେ କରି କୀଟୁ ବ୍ରହ୍ମଯାଏ

।୧୫୩।

ସକଳ ହୃଦୟେ ବସିଛନ୍ତି ଅନ୍ତର୍ଯ୍ୟାମୀ ।

 

ଏହା ନ ଜାଣି ତୁ ମାୟା ମୋହେ ମରୁ ଭ୍ରମି

। ୧୫୪।

 

 

ବିମାନ ଉପରେ ବସି ଅଛୁ ମହାସୁଖେ ।

 

ଦହୁଛି ଆତ୍ମାକୁ ଆତ୍ମା ନ ଜାଣୁ ବିବେକେ

।୧୫୫।

ଚଞ୍ଚଳ ହୋଇବାରୁ ତୁ ପାଉଛୁ ବିମୁଖ ।

 

କହିବା ଲୋକର କିଛି ନ ଘେନିଲୁ ଦୁଃଖ

।୧୫୬।

 

 

ବିମାନ ଉପରେ ତୁହି କରିଛୁ ବିଜୟେ ।

 

କହିବା ଲୋକର ଦୁଃଖ ନ ଘେନୁ ତୁ ରାୟେ

। ୧୫୭।

ବୁଦ୍ଧିମାନ ସୁପଣ୍ଡିତ ସାଧୁ ଯେତେ ଲୋକ ।

 

ସେହି ବୋଲନ୍ତି ସକଳ ଆତ୍ମା ଅଟେ ଏକ

।୧୫୮।

 

 

 

 

ନିର୍ଦ୍ଦୟ ନିଦାରୁଣ ତ ଅଟେ ଯେଉଁ ନର ।

 

ସେ ସିନା ଏ ବ୍ରହ୍ମାଣ୍ଡରେ କରେ ଅବିଚାର

। ୧୫୯।

ରାକ୍ଷସ ପରି କିମ୍ପା ତୁ କହୁଛୁ ଅନୀତ ।

 

ମନେ ନ ବିଚାରୁ ସର୍ବଭୂତେ ହରି ଛନ୍ତି

।୧୬୦।

 

 

ଏମନ୍ତ ବୋଲି ଭରତ କହୁଁ ଜ୍ଞାନବାଣୀ ।

 

ଶୁଣି କରି ରହୂରାଜା ମନେ ତାହାଶୁଣି

। ୧୬୧।

ହୃଦରେ ପାଞ୍ଚିଲେ ଏହୁ କେବଣ ପୁରୁଷ ।

 

ନ ଜାଣି ମୁଁ ଏହାଠାରେ ଅରଜିଲି ଦୋଷ

।୧୬୨।

 

 

ଏସନ ମନେ ପାଞ୍ଚିଣ ସୂର୍ଯ୍ୟବଂଶ–ଧର ।

 

ବିମାନରୁ ସେ ଓହ୍ଲାଇ ପଡ଼ିଲା ସତ୍ୱର

।୧୬୩।

ଦେଖିଲା ସୁବୁଦ୍ଧି ଅଙ୍ଗ ଅତି ଶୁଦ୍ଧକାୟେ ।

 

ଶଙ୍ଖ ଚକ୍ର ଆଦି ଚିହ୍ନ ବିରାଜଇ ଦେହେ

। ୧୬୪।

 

 

ଶତଦଳ ପଦ୍ମ ପ୍ରାୟେ ଉଲ୍ଲାସେ ବଦନ ।

 

ହରିନାମ ବୁଝି ଦିଶୁଅଛି ଦେହେ ବର୍ଣ୍ଣ

।୧୬୫।

ନିରୀକ୍ଷ ସେ ରଘୁରାଜା ଚାହେଁ ଧୀର କରି ।

 

ବିଷ୍ଣୁ ଚିହ୍ନ ଦେଖି ପ୍ରଣମିଲା ପାଦ ଧରି

।୧୬୬।

 

 

 

 

ବୋଇଲା ଭୋ ବିପ୍ର ତୁମ୍ଭେ କେବଣ ମହାତ୍ମା ।

 

ଚିହ୍ନି ନ ପାରିଲି ମୁହିଁ ପାମର ଦୁରାତ୍ମା

।୧୬୭।

କେବଣ ଦେଶେ ତୁମ୍ଭର ଅଟେ ନିଜ ବାସ ।

 

କିରୂପେ ଏଠାରେ ଆସି ହୋଇଲ ପ୍ରବେଶ

।୧୬୮।

 

 

ଅମୋକ୍ଷ ପିଣ୍ଡକୁ ତୁମ୍ଭେ କରିବାକୁ ତ୍ରାଣ ।

 

ତେଣୁ ଅବା ଏଥେଁ ଆସି ମିଳିଲ ଆପଣ

।୧୬୯।

ତୁମ୍ଭେ ବିବେକ ପଣ୍ଡିତ ଏଡ଼େ ସାଧୁ ଜ୍ଞାନୀ ।

 

ପାଲିଙ୍କି ମୁଁ ରହାଇଲି ତୁମ୍ଭଙ୍କୁ ନଚିହ୍ନି

।୧୭୦।

 

 

ଛାର ମାନବ ହେବାରୁ ନ ପାରିଲି ଜାଣି ।

 

ଏହା ଜାଣି ଦୟାକର ଆହେ ବିଜ୍ଞମଣି

।୧୭୧।

ଏ ମାୟା ମୋହେ ପଡ଼ିଣ ଭ୍ରମ ମୋର ଦେହୀ ।

 

ପ୍ରାଣିଙ୍କ ଠାରୁ ଏ ଭୋଗ ଶିଖିଅଛି ମୁହିଁ

। ୧୭୨।

 

 

ମୁହିଁ ତାହାଙ୍କ ସଙ୍ଗରେ ଗୃହକର୍ମ୍ମେ ପଡ଼ି ।

 

ରହିଅଛି ଗୋବିନ୍ଦଙ୍କୁ ବହୁଦୂରେ ଏଡ଼ି

।୧୭୩।

ଏବେ ଯେ ଜାଣିଲି ମୋର ଫିଟିଲା ସଂକଟ ।

 

ପାଇଲି ଯେଣୁ ବ୍ରାହ୍ମଣ ପୁରୁଷଙ୍କ ଭେଟ

।୧୭୪।

 

 

 

 

ଆତ୍ମାର ଯେ ଗତାଗତ ତା କହିବା ହେଉ ।

 

ଆପଣଙ୍କ ମୁଖୁଁ ଶୁଣି ପାପ କ୍ଷୟ ଯାଉ

। ୧୭୫।

ଏମନ୍ତ ବୋଲିଣ ରାଜା ଶୋକ ଗଦଗଦେ ।

 

ନମିଲେ ଯାଇଁ ସେ ଜଡ଼ –ଭରତଙ୍କ ପାଦେ ।

।୧୭୬।

 

 

ରାଜା ମୁଖରୁ ଏମନ୍ତ ଶୁଣିଣ ଭରତ ।

 

ବୋଇଲେ କହିବା ତେବେ ଶୁଣ ଜ୍ଞାନତତ୍ତ୍ୱ

। ୧୭୭।

ଆତ୍ମାରେ ଦେଖ ଜଡ଼ିତ ମୋର ନିଜ କାୟ ।

 

ସକଳ ଜୀବ ଦିଶନ୍ତି ମୋତେ ଏକପ୍ରାୟ

।୧୭୮।

 

 

ଆଉ ଏକ କଥା ରାଜା କହୁ ଅଛି ଶୁଣ ।

 

ବୁଝିଲେ ଗୋବିନ୍ଦ ଲୀଳା ସବୁ କଥା ଜାଣ

।୧୭୯।

ସଂସାରେ କେ ମରୁଛି କେ ମାରୁ ଅଛି କହ ।

 

ବସିବା ସବୁ କହିବା ଅଟେ ଏକ ଦେହ

।୧୮୦।

 

 

କେ କାହାକୁ ଓଳଗଇ କେ କଲ୍ୟାଣ କରେ ।

 

କେହି ନମସ୍କାର କରୁ କେ ନମେ ଆଗରେ

।୧୮୧।

କେ କାହାର ନିଜ ଅଟେ କେ କାହାର ପର ।

 

କେ କାହାର ଅନ୍ତର କେ ଅଟେ କାହା ଘର

।୧୮୨।

 

 

 

 

କେ କାହାର ବନ୍ଧୁ ଅଟେ କେ କାହାର ଜାତି ।

 

କେ କାହା ଭାରିଜା ଅଟେ କେ କାହାର ପତି

।୧୮୩ ।

ତୁ ଯେବେ ଆରାଧି ଲୋଡ଼ୁ ଅଛୁ ଗୋବିନ୍ଦଙ୍କୁ ।

 

ଶରୀରରେ ଆଗ ଚିହ୍ନି ଦେଖ ତୋ ଆତ୍ମାକୁ

।୧୮୪।

 

 

ଆତ୍ମାକୁ ତୁ ଯେବେ ଚିହ୍ନି ପାରିବୁ ନିଶ୍ଚୟେ ।

 

ଦେଖିବୁ ଅଛନ୍ତି ଜଗନ୍ନାଥ ସର୍ବ ଦେହେ

। ୧୮୫।

ଯେବଣ ସୁତ୍ରେ ଅଛନ୍ତି କହିବା ତା ଶୁଣ ।

 

ବସୁ ଜୀବରେ ଲଲାଟଚକ୍ରେ ଛନ୍ତି ପୁଣ

।୧୮୬।

 

 

ଶଙ୍ଖ ଚକ୍ର ଗଦା ପଦ୍ମ ଚାରି କରେ ଧରି ।

 

ପରମ ହଂସ ରୂପରେ ଶବ୍ଦ ଛନ୍ତି କରି

।୧୮୭।

ସେହି ଶବଦକୁ ଜାଣି ଯେବେ ହେଜି ପାରୁ ।

 

ଅବଶ୍ୟ ହରିଙ୍କି ଚିହ୍ନି ତରିବୁ ସଂସାରୁ

।୧୮୮।

 

 

କେବଳ ଏକା ବସିଣ ଶବଦେ ନିମଜ୍ଜ ।

 

ପରମହଂସ ଦ୍ୱାରରେ ମନ ନେଇ ଖଞ୍ଜ

।୧୮୯।

ଷଡ଼ଚକ୍ର ଭେଦିଣ ଯେ ହାନ୍ଦୋଳେ ପବନ ।

 

ତୁ ତାହାକୁ ନାସାରନ୍ଧ୍ରେ କର ଅନୁମାନ

।୧୯୦।

 

 

 

 

ଆବର ଗଙ୍ଗା ଯମୁନା ସରସ୍ୱତୀ ନୀରେ ।

 

ଅନୁକ୍ଷଣ ବହଥାନ୍ତି ହରିଙ୍କ ମଥାରେ

। ୧୯୧।

ପବନ ଥକାଇ ଯେବେ ଟେକିବୁ ଉଜାଣି ।

 

ସେ ଧାର ବନ୍ଧନ ହୋଇ ରହିବ ତ୍ରିବେଣୀ

।୧୯୨।

 

 

ସେ ତ୍ରିବେଣୀ ଉପରେ ଯେ ମାନ ସରୋବର ।

 

ସେ ସ୍ଥାନେ ଫୁଟିଛି ପୁଷ୍ପ କମଳ କେଶର

।୧୯୩।

ସେ କେଶର ମଧ୍ୟରେ ଯେ ଭ୍ରମର ଚୁମ୍ୱୁଛି ।

 

ତହିଁରେ ପରମହଂସ ଆନନ୍ଦେ ଭ୍ରମୁଛି

।୧୯୪।

 

 

ସେ ପରମହଂସ ଏହୁ ଚିହ୍ନ ମହାରାଜା ।

 

କାପଳଦ୍ମ ନିରଞ୍ଜନ ତୋତେ ହେବେ ବୁଝା

।୧୯୫।

ପ୍ରାଣାପାନୋଦାନ ବ୍ୟାନ ସମାନ ଏ କରି ।

 

ଜୀବ ସଂହରି ରଖ ତୁ ଅନାହତ ପୁରୀ

।୧୯୬।

 

 

ତେବେ ତୋ କ୍ଷୁଧା ପିପାସା ଅଙ୍ଗୁ ଯିବ ତୁଟି ।

 

ଏ ବେନି ତୁଟିଲେ ମୃତ୍ୟୁ ନ ପାରିବ ଘୋଟି

।୧୯୭।

ମୂଳ କମଳ ତୁ ଚାପି ବସ ଅନୁଧ୍ୟାନେ ।

 

ରୋଧ ଦଶଦ୍ୱାର ଊର୍ଦ୍ଧ୍ୱମୁଖୀ ମୁଦ୍ରା ସ୍ଥାନେ

।୧୯୮।

 

 

 

 

ପବନକୁ ଏକାସୂତ୍ରେ ଯେବେ ଚଳାଇବୁ ।

 

ତେବେ ତୁ ଅକ୍ଷୟ ହୋଇ ସଂସାରେ ରହିବୁ

।୧୯୯।

ଶୁଣ ଆରେ ସୂର୍ଯ୍ୟବଂଶୀ ରଘୁ ନରପତି ।

 

ଅର୍ଜିବୁ ଶ୍ରୀହରି ଆଶ୍ରେ ରହି ଯଶ କୀର୍ତ୍ତି

।୨୦୦।

 

 

ଏହି କଥାରେ ତୁ ମନ ଲଗା ମହାରାଜା ।

 

ଆତ୍ମାକୁ ହୃଦରେ ଚିହ୍ନି କର ବିଷ୍ଣୁ ପୂଜା

।୨୦୧।

ପୂଜା କଲେ ଶ୍ରୀ ଗୋବିନ୍ଦ କରିବେ କରୁଣା ।

 

କରୁଣା କଲେ ନୋହିବ କିଛି ତୋତେ ବଣା

।୨୦୨।

 

 

ପୂର୍ବଜନ୍ମରେ ତୋହର ଥିଲା କିଛି ପୁଣ୍ୟ ।

 

ତେଣୁ ଆମ୍ଭଙ୍କୁ ଭେଟିଲୁ ଆହେ ରଘୁରାଣ

।୨୦୩।

ହେ ରାଜନ ସଂସାରେ ତୁ ଦେଖ ଦେହ ଗତେ ।

 

ଚକ୍ଷୁ ନାସା କର୍ଣ୍ଣ ଶିର ପାଦ ପାଣି ଯେତେ

।୨୦୪।

 

 

ଏହାକୁ ମଣନ୍ତି ଭିନ୍ନ ଭିନ୍ନ ସର୍ବପ୍ରାଣୀ ।

 

ଆତ୍ମାର ଗତାଗତକୁ ନ ପାରନ୍ତି ଜାଣି ।

।୨୦୫।

କେବଳ ପ୍ରତ୍ୟକ୍ଷେ ବ୍ରହ୍ମ ଜ୍ଞାନ ଜଗନ୍ନାଥ ।

 

ଉକ୍ତ ଉଦ୍ଧାର ଅଟଇ ଏ ନୃସିଂହ ଗ୍ରନ୍ଥ

।୨୦୬।

 

 

 

 

ଏହା ଶୁଣି ରଘୁରାଜା ହୋଇଲେ ଆନନ୍ଦ ।

 

ଉଠି ଭରତର ଯାଇ ଧଇଲେକ ପାଦ

। ୨୦୭।

ହୋଇଲି ମୁଁ ମୋକ୍ଷ ବୋଲି ପ୍ରଣାମ ଯେ କଲେ ।

 

ଜଡ଼ଭରତ ସେଠାରୁ ଅନ୍ତର୍ଦ୍ଧାନ ହେଲେ

।୨୦୮।

 

 

ତହିଁ ଉତ୍ତାରୁ ସେ ରାଜା ରାଜ୍ୟେ ଗଲେ ଚଳି ।

 

ଭଜିଲେ ପରମ ମୂତ୍ରେ ମଜ୍ଜି ବନମାଳୀ

।୨୦୯।

ଆହେ ସାଧୁ ସୁଜ୍ଞଜନେ ହରିରସେ ରସ ।

 

ଶ୍ରୀହରି ଚରଣତଳେ ପୀତାମ୍ୱର ଦାସ

୨୧୦